ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀ ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ।
ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ‘ସାପୁଆ’କୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ। ଭୁବନେଶ୍ୱରଠାରୁ ପ୍ରାୟ ୯୦ କିଲୋମିଟର ଏବଂ ଢେଙ୍କାନାଳଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ବଣଭୋଜି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ସେହିପରି ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର ବପ୍ରକୃତିପ୍ରେମୀ ଅପରାହ୍ନରେ ପ୍ରକୃତିର ଶୋଭାକୁ ଉପଭୋଗ କରିବା ପାଇଁ ଏଠାରେ ଭିଡ଼ ଜମାଇଥାଆନ୍ତି। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯାଇଥିବା ସର୍ପିଳ କଂକ୍ରିଟ୍ ସ୍କୁଇସ୍ ଗେଟ୍ ଏହାକୁ ଅଧିକ ଆକର୍ଷଣୀୟ କରିଥିବାବେଳେ ନିକଟ ଜଙ୍ଗଲରୁ ପାଣି ପିଇବାକୁ ଆସୁଥିବା ହରିଣ, ହାତୀଙ୍କ ଜଳକ୍ରୀଡ଼ା ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ଅନେକେ ଅପେକ୍ଷା କରିଥାଆନ୍ତି।
ରାସୋଳ ଅଞ୍ଚଳର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ୧୯୯୩ରେ ଆରମ୍ଭ ହୋଇଥିଲା ‘ସାପୁଆ-ବଡ଼ଜୋରା’ କ୍ଷୁଦ୍ର ସେଚ ପ୍ରକଳ୍ପ। ୨୦୦୬ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ୧୨୯୦ ମିଟର ଦୈର୍ଘ୍ୟ, ୨୬ ମିଟର ଉଚ୍ଚତା ବିଶିଷ୍ଟ ଏହି ଡ୍ୟାମ୍ ୩୬୮୨ ହେକ୍ଟର ଜାଗାରେ ଅବସ୍ଥିତ। ଜଳସେଚନ ଉଦ୍ଦେଶ୍ୟରେ ନିର୍ମିତ ଏହି ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ତେବେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ସରକାର ଏବଂ ପ୍ରଶାସନିକ ଅବହେଳାରୁ ଅବହେଳିତ ଅବସ୍ଥାରେ ରହିଛି। ଏହାକୁ ନୂଆ ରୂପ ଦେବାକୁ ୨୦୧୯ରେ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲା। ହେଲେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ପିଇବା ପାଣି ସୁବିଧା ନ ଥିବାରୁ ସାପୁଆଠାରୁ ୫ କିଲୋମିଟର ପୂର୍ବରୁ ଥିବା ରାସୋଳ-ତେଲିଭୂଇଁ ଛକରୁ ପର୍ଯ୍ୟଟକଙ୍କୁ ପାଣି ବୋହି ନେବାକୁ ପଡୁଛି।
ଆଲୋକ ବ୍ୟବସ୍ଥା ନ ଥିବାରୁ ସଞ୍ଜ ନଇଁଲେ ଅସାମାଜିକଙ୍କ ଆଡ୍ଡା ପାଲଟୁଛି ସାପୁଆ। ପରିବାର ସହ ଆସିଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସନ୍ଧିହାନ ହୋଇପଡୁଥିବାରୁ ସେମାନେ ତରବରିଆ ଭାବେ ଫେରିବାକୁ ବାଧ୍ୟ ହେଉଛନ୍ତି। ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ସୁବିଧା ସହ କେତେକ ଦୋକାନ ଖୋଲିବାକୁ ଅନୁମତି ଦିଆଗଲେ ଏହି ପର୍ଯ୍ୟଟନ ସ୍ଥଳୀ ଅଧିକ ଚଳଚଞ୍ଚଳ ହୋଇପାରନ୍ତା।
ସେହିପରି କନ୍ଧରା-ସାତକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏହି ପର୍ଯ୍ୟଟନସ୍ଥଳୀରେ ଓ୍ବାଚ୍ ଟାଓ୍ବାର କରାଗଲେ ଦୂରଦୂରାନ୍ତର ଯାଏ ସବୁଜିମା, ବନ୍ୟଜୀବନକୁ ଉପଭୋଗ କରିହେବ। ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ଦେଲେ ‘ସାପୁଆ’ର ବିକାଶ ପାଇଁ ବାଟଫିଟନ୍ତା ବୋଲି ମତପ୍ରକାଶ ପାଇଛି।